Unknown

 

 

 

 

 

 

 

 

ପ୍ରେମୋଦୟ ଚଂପୂ

(ଚୌପଦୀ ଚନ୍ଦ୍ରୋଦୟ)

 

କବିସୂର୍ଯ୍ୟ ବଳଦେବ ରଥ

 

(୧)

 

ସଖୀ

 

ରାଗ-ପୂରବୀ-ଆଠତାଳି

 

କଳାବତୀ ରେ, କହ ମୋଠାରୁ ତେଜି କପଟରୀତି

। ଘୋଷା ।

କିପାଁ ଆଜ ଆଜନମ, ସୁଖୀ କଳାକର ମୁଖ ଅଛି ଶୁଖି

 

କମନୀୟ ବିମ୍ବ ବିଜୟୀ ଅଧରେ

 

ମୃଗମଦେ ଭୃଙ୍ଗ ନାହିଁ ଲେଖି

। ୧ ।

କୋକନଦଜିଣା ଚାରୁକର କିଶଳୟ ଗଣ୍ଡେ ମଣ୍ଡିବାର

 

କେଉଁକାଳେ ହେଲେ ଦେଖି ତ ନ ଥିଲା

 

ପରାଣ ସଖି, ନୟନ ମୋର

। ୨ ।

କଞ୍ଜଲତା ମନ୍ଦ ବାତ ପରି କମ୍ପୁଛି ତୋ’ତନୁ ସୁକୁମାରୀ

 

କିସ ଏ ବେଦନା ତୁ ରାଜନନ୍ଦନା

 

ଲଭି ମଜ୍ଜିଅଛୁ ଶୋକବାରି

। ୩ ।

କନକକୁ ବଳିଥିବା ତେଜ କଳା କିପାଁ ପଡ଼ିଗଲା ଆଜ

 

କହଇ ଶ୍ରୀ ଜଗଦ୍ଦେବ ଦୁଃଖେ ପୋତି ଅଛୁ

 

କିପାଁ ମୁଖ-ଦ୍ୱିଜରାଜ

। ୪ ।

(୧) କୋକନଦ-ରକ୍ତପଦ୍ମ ବା ରକ୍ତ କଇଁ । କଞ୍ଜଲତା-ପଦ୍ମନାଡ଼ (ପତ୍ର ସହ) । ଦ୍ୱିଜରାଜ-ଚନ୍ଦ୍ର ।

Image

 

(୨)

 

ସଖୀ

 

ରାଗ-ବସନ୍ତ-ତ୍ରିପଟା

 

ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ ପ୍ରାଣସଖି

 

ନ ଘେନିଲୁ ତ ମୋ ବାଣୀ ରେ

। ଘୋଷା ।

ଖମଣି ସୂତାତଟ, ବିଟ ସେ ନନ୍ଦଚାଟ

 

ବୋଲି ନ ଥିଲୁ ଏହା ଜାଣି ରେ

। ୧ ।

ଖୁରିକେ ସେ କିଶୋର-ବର-ତରଳତର

 

ଭ୍ରୂଭଙ୍ଗୀ ଦିଏ ଦମ୍ଭ ହାଣି ରେ

। ୨ ।

ଖଣ୍ଡିବ ସତୀବ୍ରତ ବୋଲି ତା’ର ନେତ୍ରାନ୍ତ-

 

ଶରକୁ ରଖିଛି ସେ ଶାଣି ରେ

। ୩ ।

ଖଟି ହରିଚନ୍ଦନ କହେ ନ ଜାଣୁ ଧନ,

 

ବୋଲି ମୋହନ ବଂଶୀପାଣି ରେ

। ୪ ।

 

(୨) ଖମଣିସୁତା-ସୁର୍ଯ୍ୟକନ୍ୟା ଯମୁନା । ବିଟ-କାମୁକ ବା ଧୂର୍ତ୍ତ ବ୍ୟକ୍ତି । ଖୁରିକେ-ନିମିଷକେ ।

Image

 

(୩)

 

ରାଧା

 

ରାଗ-ଗୁର୍ଜରୀ-ନିଃସାରୀ ତାଳ

 

 

 

ଗୁମାନ କରିବା ବୃଥା ରେ ସଙ୍ଗିନୀ, ଗୁମାନ କରିବା ବୃଥା

 

ଗତି ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମବ୍ୟଥା

। ଘୋଷା ।

ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ

 

ଯେଉଁ ଶୀରିମୁଖ ଦ୍ୟୁତି

 

ଗଲେ ଯିବ ପଛେ ଜୀବ, ଆଉ ଥରେ

 

ଦେଖିବାକୁ ବଳେ ମତି

। ୧ ।

ଗଗନ ମଣି-ତନୟାତଟଚାରୀ

 

ବାରିରୁହ ଚାରୁନେତ୍ର।

 

ଗାଢ଼ ପରିରମ୍ଭ ବିନା ସଖି, ଦମ୍ଭ

 

ଭଜିପାରେ କି ମୋ ଗାତ୍ର

। ୨ ।

ଗୁରୁ ହଲାନି ପିନ୍ଧିବା ସରୁବାସ

 

ବାସରେ ନ ରହେ ମତି।

 

ଗୋଟିଏ ବାସର କଳପ ମଣଇଁ

 

ଦେଖି ବାସନ୍ତିକ ରୀତି

। ୩ ।

 

 

ଗରଳ ପରି ଉପବନ ପବନ

 

ଲାଗୁଅଛି ମୋତେ ସଖି !

 

ଗଲାଟି ଜୀବନ ଭଣେ ଜଗଦ୍ଦେବ

 

ଆଉ ନ ପାରେ ମୁଁ ରଖି

। ୪ ।

 

(୩) ଗଗନମଣିତନୟାତଟ-ସୂର୍ଯ୍ୟକନ୍ୟା ଯମୁନା ନଦୀତଟ । ବାରିରୁହ-ପଦ୍ମ । ପରିରମ୍ଭ-ରମଣ ବା ଆଲିଙ୍ଗନ । ବାସରେ-ଘରେ । ବାସର-ଦିନ । କଳପ (କଳ୍ପ)-କୋଟି କୋଟି ବର୍ଷ । ବାସନ୍ତିକ-ବସନ୍ତକାଳୀନ ।

Image

 

(୪)

 

ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ

 

ରାଗ-ପଞ୍ଚମ ବରାଡ଼ୀ-ଝୁଲା

 

 

 

ଘାରିହେଲା ପରି କାମ ଅମଳେ ତ ବସ ଶ୍ୟାମ

 

ତାମରସ ମୁଖେ ନାହିଁ ହାସ ।

 

ଘଡ଼ିକୁ ଘଡ଼ି ତ ମୋହ ଭଜୁଅଛି ତୁମ୍ଭ ଦେହ

 

କି ବାରଣେ କର ପରକାଶ ।

 

ହେ ଘନଶ୍ୟାମ,

 

ଘାଣ୍ଟି ହେଲା ପରି ତୁମ୍ଭ ମନ

 

ଘର୍ମ ବିନ୍ଦୁ ବହେ ଅପଘନ;

 

ଘୋଷୁଛ ତ ପରା ନବବାଳା ନାମମନ୍ତ୍ର ଭାବ-

 

ବଶେ ତା’ ମୂରତି କରି ଧ୍ୟାନ

। ୧ ।

 

 

ଘନଜଘନା କେ ଭୂରୁ, ଶୁଭାଙ୍ଗୀ ବିଭ୍ରମ ଚାରୁ-

 

କଟାକ୍ଷ ବିକ୍ଷଣେ ତୁମ୍ଭ ଚିତ୍ତ

 

ଘେନିଗଲା କି ହେ ହରି, ନୋହିଲେ କି ଏତେ ସରି

 

ଅଶକତ ହୋଇ ରହିଥାନ୍ତ

 

ହେ ଘନଶ୍ୟାମ,

 

ଘଟିବ କି ନାହିଁ ନ ବିଚାରି

 

ଘନନୀଳ ଶ୍ରୀଅଙ୍ଗ ମାଧୁରୀ ।

 

ଘୋର ବିରହ-ଦହନ, ଝାସେ କରାଇ ନିଉନ

 

ଦଶ କଳା ଶେଷ ଚନ୍ଦ୍ରପରି ହେ

। ୨ ।

 

 

ଘୃତ କି ତରଳ ନୋହି, ଅନଳ ସମୀପେ ରହି-

 

ପାରେ ଏହା ନ ଜାଣେ କି ମୁହିଁ

 

ଘରେ ସ୍ଫୁଟ ହେଲେ ତାତ, କି ବୋଲିବେଟି କହ ତ

 

ବିଚାର ନ କର କାହିଁପାଇଁ

 

ହେ ଘନଶ୍ୟାମ,

 

ଘେନି ମୋ ବାଣୀ ଯମୁନାଜଳ-

 

ଘାଟ ତେଜି ଭବନକୁ ଚଳ;

 

ଘୋଷଣ ଆଉ ନ ଦିଅ, ବ୍ରଜମହାରାଜ ପୁଅ

 

ହେଲେ ବୋଲି ମଦନ-ଚଞ୍ଚଳ ହେ

। ୩ ।

 

 

ଘୋଟି ଆସୁଅଛି ଅତି, ତିମିର ସଙ୍କୁଳ ରାତି

 

ଜନାନ୍ତରେ କିପାଁ ଅଛ ବସି

 

ଘଟ ପ୍ରତିଘଟ ସ୍ତନ ସ୍ପୃହା ଛାଡ଼ ଏବେ ଘେନ

 

କରତଳେ କମନୀୟ ବଂଶୀ

 

ହେ ଘନଶ୍ୟାମ,

 

ଘୋରି ଚନ୍ଦ୍ରସାର ମନୋହର

 

ଘନସାର ମିଶାଇ କିଶୋର;

 

ଘେନ ହୃଦୟରେ ସ୍ମର ତାପ ହୋଇଯିବ ଦୂର

 

କହେ ସ୍ନେହେ ଜଗଦ୍ଦେବ ଗିର ହେ

। ୪ ।

 

(୪) ତାମରସ-ପଦ୍ମ । ଘର୍ମ-ଝାଳ । ବ୍ରଜମହାରାଜ-ନନ୍ଦ ରାଜା । ଘୋଷଣ-ରଟନା ବା ପ୍ରଚାର । ଚନ୍ଦ୍ରସାର-ଭଲ ଚନ୍ଦନ, ଘନସାର-କର୍ପୂର ।

Image

 

(୫)

 

ଶ୍ରୀକୃଷ୍ଣ

 

ରାଗ-ତୋଡ଼ି ଜଙ୍ଗଲା-ଏକତାଳି

 

 

 

ନାହିଁ ତ ସଙ୍ଗରେ ମୋର କାହିଁ ପ୍ରିୟସଖୀ ରେ

। ଘୋଷା ।

ନବ ପଳ୍ଳବ ଅଧର, ନିକଟେ ଯେ ମନୋହର

 

ନୀଳଚିତ୍ରେ ଲୀଳା-ମଧୁକର ଅଙ୍କ ଲେଖି ରେ

। ୧ ।

ନଟ ରୁଚିର ଖଞ୍ଜନ,-ନିବହ ଶୋଭା ଗଞ୍ଜନ

 

ନୟନାନ୍ତେ ଯେ ମୋହନ ଶର ଅଛି ରଖି ରେ

। ୨ ।

ନୂଆକରି ଯେ କିଶୋରୀ ନାଗରଙ୍କ ଦମ୍ଭ ହରି-

 

ନେବାର ବିଳାସ ଅଛି ମାଧୁରୀକି ଶିଖି ରେ

। ୩ ।

ନିରୂପମ ଯା’ର ଗଦ ନଳିନଜ ମକରନ୍ଦ

 

ନିତି ଜଗଦ୍ଦେବ ମତି ଭୃଙ୍ଗ ପାରେ ଚାଖି ରେ

। ୪ ।

 

(୫) ନିବହ-ସମୂହ । ନଳିନଜ ମକରନ୍ଦ-ପଦ୍ମଜାତ ମଧୁ ।

Image

 

(୬)

 

ରାଧାଙ୍କ ପ୍ରତି ସଖୀ

 

ରାଗ-ବସନ୍ତ-ରୂପକ

 

ଚଞ୍ଜଳ ଦୃଗଞ୍ଚଳବତୀ, ତୋ ଘେନି ନୀଳନୀରଦ-

 

ତନୁ ତନୁ ଦିଶେ ଗୋ

। ଘୋଷା ।

ଚକୋର ପରି ତାର, ଚିତ୍ତ ନିରତେ ତୋର

 

ଚାରୁ ବଦନଚନ୍ଦ୍ରେ ରସେ ଗୋ

। ୧ ।

ଚମକି ସ୍ମରଶରେ ଚିତ୍ତ ନିବେଶି ତୋରେ

 

ଚକିତେ ଚାହୁଁ ଚଉପାଶେ ଗୋ

। ୨ ।

ଚରଣ କିଶଳୟ ଚାଳିବାକୁ ସଂଶୟ

 

ଚିର ବିରହତାର ବଶେ ଗୋ

। ୩ ।

ଚିନ୍ତି ରୂପ ତୋହରି ଚିତ୍ର ପ୍ରତିମା ପରି

 

ଚାହିଁଲେ ଦୂରକୁ ଆଭାସେ ଗୋ

। ୪ ।

ଚାତୁର୍ଯ୍ୟବତୀ ତୋଷେ ଚନ୍ଦ୍ରକଚୂଳ ପାଶେ

 

ଚଳ ତୁ ଜଗଦ୍ଦେବ ଭାଷେ ଗୋ

। ୫ ।

 

(୬) ତନୁ-ଦେହ । ତନୁ-କ୍ଷୀଣ ବ କୃଶ । ଚନ୍ଦ୍ରକଚୂଳ-ଚୂଳରେ ମୟୂରପୁଚ୍ଛ ଥିବା ଶ୍ରୀକୃଷ୍ଣ ।

Image

 

(୭)

 

ସଖୀ

 

ରାଗ-ଶଙ୍କରାଭରଣ-ଆଠତାଳି

 

ଛାଡ଼ ରେ ସଖି, ମନରୁ ତ୍ରାସ ରେ,

 

ଛାର ମାର ଆଉ କରିବି କିସ ରେ

। ଘୋଷା ।

ଛାଇପରି ରେ ତୋତେ ଅନୁସରି

 

ଛାମୁରେ ଥିବ ବଲ୍ଲଭ ତୋହରି

।୧।

ଛନ୍ଦି ବାହୁ ଜାନୁ ଯୁଗଳେ ତୋତେ

 

ଛାତିପରେ ଭିଡ଼ି ମାତିବ ରତେ

। ୨ ।

ଛିଡ଼ିଗଲେ ଭିଡ଼ିବାର ତୋହର

 

ଛଳ ନ କରି ବୁଝି ରାମାବର

। ୩ ।

ଛଟକାକ୍ଷୀ ନବନାଗରୀରାଜ

 

ଛଡ଼ାଇବ ଟି ଆଜ ତୋତେ ଲାଜ

। ୪ ।

ଛପି ଗଲାନି ଦିବାକାର ଦ୍ୟୁତି

 

ଛଦ୍ମ ନୁହଁ ଜଗଦ୍ଦେବ ଭାରତୀ

। ୫ ।

(୭) ତ୍ରାସ-ଭୟ ବା ଆଶଙ୍କା । ରତେ-ରତିକ୍ରୀଡ଼ାରେ । ଛପି ଗଲାନି ଦିବାକରଦ୍ୟୁତି-ସୂର୍ଯ୍ୟାସ୍ତ ହେଲାଣି । ଛଦ୍ମ-ଚଳ ବା କପଟ ।

Image

 

(୮)

 

ସଖୀ

 

ରାଗ-ମୁଖାବରୀ-ଏକତାଳି

 

ଜାଣିବୁ ରେ, ଦମ୍ଭେ ହାଣିବୁ ରେ

। ଘୋଷା ।

ଜବାଜିତ ଅଧରୀ-ଅଭିସାରକୁ କରି

 

ମଦନେ ମତ୍ତ-କରିରାଜ ଗମନ ହରି

। ୧ ।

ଜଳର ରମ୍ୟ ମୁଖୀ-ସ୍ମିତ ଅଧରେ ରଖି

 

ଭୂରୁ ଚାପରେ ସଖି ନେତ୍ରାନ୍ତ ଶର ଯୋଖି

। ୨ ।

ଜୀବେଶ ଅଙ୍କେ ଜଡ଼ି-ତୋର ଶ୍ରୀହସ୍ତ ବୁଡ଼ି

 

ବସିବା ପରି ବୁଡ଼ି-ନିବିଡ଼ ବନ୍ଧେ ଭିଡ଼ି

। ୩ ।

ଯତନେ ନାସାମଣି-ତୁଲେ ନଚାଇ ବେଣୀ

 

କୁସୁମଧନୁ ପାଣି-ଭଣ୍ଡାରୁ ରସ ଛାଣି

। ୪ ।

ଜଗଦ୍ଦେବ ଯେ ଭାଷି-ଭଲେ ତନୁରେ ମିଶି

 

ସଖି ତୁ ଆଜ ନିଶି-ନବ ସୁରତେ ରସି

। ୫ ।

 

(୮) ଜଳଜ-ପଦ୍ମ । କୁସୁମଧନୁ-କନ୍ଦର୍ପ ।

Image

 

(୯)

 

ସଖୀ

 

ରାଗ-କାମୋଦୀ-ଆଦିତାଳ

 

ଝୁରୁଥିବ ସେ କାମ ଅମଳ ବଶେ ଶ୍ୟାମ

 

ସୁମରି ତୋର ମୁଖ ଶଶୀକି ରେ

। ଘୋଷା ।

ଝମ ଝମ ବାଜିବା-ଭୂଷଣ ରାଜି ଜବା-

 

ଅଧରା ସମରପ ସଖୀକି ରେ

। ୧ ।

ଝସକେତନ ଶର-କରୁଥିବ ପ୍ରହାର

 

ମରମେ ନିକୁଞ୍ଜବିଳାସୀକି ରେ

। ୨ ।

ଝରା ସଜାଡ଼ି ରଖି ଅଛି ରେ ପ୍ରିୟସଖି !

 

ଗଭା ଉପରେ ଦେବି ଖୋସିକି ରେ

। ୩ ।

ଝୀନବସନା କାନ୍ତ-ପାଶ ତେଜି ଏମନ୍ତ

 

ସମୟ ଏକାନ୍ତରେ ବସି କି ରେ ?

। ୪ ।

ଝଟତି ଆସ ଭାଷେ-ଜଗଦ୍ଦେବ ହରଷେ

 

ପ୍ରିୟାପାଶେ ପୁହାଅ ନିଶୀକି ରେ

। ୫ ।

 

(୯) ଝସକେତନ-କନ୍ଦର୍ପ । ନିକୁଞ୍ଜବିଳାସୀକି-ଶ୍ରୀକୃଷ୍ଣଙ୍କୁ ।

Image

 

(୧୦)

 

ସଖୀ

 

ରାଗ-ପୁନ୍ନାଗ-ଯତି

 

 

 

ଆସ ଆସ ସଖି, ଯିବା ବାସକୁ ଗୋ

। ଘୋଷା ।

ଆଉ ରହିଲେ ଏ ବନେ ଅସତୀ ବୋଲିଟି ଜନେ

 

ଅବଶ୍ୟ କରିବେ ଉପହାସକୁ ଗୋ

। ୧ ।

ଅଖିଳ ଲାବଣ୍ୟଶୀରି ଆଉ କି ଆସିବେ ହରି

 

ଅରୁଣ ଭଜିଲା ପରକାଶକୁ ଗୋ

। ୨ ।

ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀ

 

ଅଧରେ ଧରିଛି ଦରହାସକୁ ଗୋ

। ୩ ।

ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରି

 

ଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ

। ୪ ।

ଆର୍ତ୍ତି କରେ ଜଗଦ୍ଦେବ ଆଉ କି ସତେ ଆସିବ

 

ଅଭିନବ କୁଞ୍ଜବନ ରାଶକୁ ଗୋ

। ୫ ।

 

(୧୦) ଅରୁଣ ଭଜିଲା ପରକାଶକୁ-ପ୍ରଭାତ ହେଲା । ଆର୍ତ୍ତି-ଦୁଃଖ ।

Image

 

(୧୧)

 

ରାଧା

 

ରାଗ-ତୋଡ଼ି ଜଙ୍ଗଲା-ନିଃସାରୁ ତାଳ

 

 

 

ଟାଳିଲା କି ମୋ ସୁଖ ମୂଳକୁ

 

ଚନ୍ଦ୍ରମୁଖି ରସି ରହିଲେ କାହା ପାଶେ

। ଘୋଷା ।

ଟଙ୍କାରି ସ୍ମରଶର, ବିନ୍ଧେ ମରମେ ମୋର

 

ବାରବାର ଅତି ନିରାଶେ

। ୧ ।

ଟେକାଇ ଶୁଭାଙ୍ଗିନୀ, ଚନ୍ଦ୍ରକୂଳେ ସଙ୍ଗିନୀ

 

ରମିଲା ଶ୍ୟାମରେ ହରଷେ

। ୨ ।

ଟିକିଏ ନାହିଁ ଦୋଷ, କାହିଁକି ଧରି ରୋଷ

 

ହରି ନଇଲେ ମୋର ପାଶେ

। ୩ ।

ଟାଣି ନେଇ ମୋ ମତି, ଆନ ରାମାରେ ପ୍ରୀତି-

 

କଲେ ଶ୍ରୀ ଜଗଦ୍ଦେବ ଭାଷେ

। ୪ ।

 

(୧୧) ଟାଳିଲା-ନଷ୍ଟ କଲା । ସ୍ମରଣର-କନ୍ଦର୍ପବାଣ ।

Image

 

(୧୨)

 

ରାଧା

 

ରାଗ-ପୂରବୀ-ଏକତାଳି

 

 

 

ଠଉରିବି ମୁଁ କିପରି ଆଗୋ ସୁନାଗୋରୀ,

 

ଠକପର ତ ମୋଠାରେ ଆଚରିଲେ ହରି

। ଘୋଷା ।

ଠ ବର୍ତ୍ତୁଳ ଚନ୍ଦ୍ରମା ମଣ୍ଡଳ ଦେଖ ସଖି

 

ହୃଦୟ ଦମ୍ଭକୁ ମୋର ଦେଉ ନାହିଁ ରଖି

। ୧ ।

ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳ

 

ମଧୁର ବିନାଦେ ମୋତେ କରନ୍ତି ଆକୁଳ

। ୨ ।

ଠାବେ ଠାବେ ମନୋହର କୁସୁମିତ କୁଞ୍ଜ

 

କରାଉଛି ମୋହୋ ମୋହ ବିକଶି ନୀରଜ

। ୩ ।

ଠିକ କହି ପ୍ରିୟ ସଜନୀରେ ପିକଶ୍ରେଣୀ

 

ଦହଇ ମୋ ହୃଦ ଶୀରି ଜଗଦ୍ଦେବ ଭଣି

। ୪ ।

 

(୧୨) ଦମ୍ଭ-ଧୈର୍ଯ୍ୟ । ନୀରଜ-ପଦ୍ମ ।

Image

 

(୧୩)

 

ସଖୀ

 

ରାଗ-କାମୋଦୀ-ଏକତାଳି

 

 

 

ଡାକେ ସଖୀ ନ ଶୁଣେ ଶ୍ୟାମ କାହିଁକି ?

 

ଡାକିମଧ୍ୟାରେ ଆଉ ମନେ ନାହିଁ କି

। ଘୋଷା ।

ଡରିବୁଁ ବୋଲି ଆମ୍ଭେ, ଲୁଚି ତ ସିନା ତୁମ୍ଭେ

 

ଆମ୍ଭର ଦମ୍ଭ ବିଡ଼ିବାର ପାଇଁକି

। ୧ ।

ଡାଳିମ୍ବ ସୁଦଶନା, ଡରିବ ତୁଚ୍ଛା ସିନା

 

ଡରେ ଘରେ ଯେ ଦେଖି ନିଜ ଛାଇକି

। ୨ ।

ଡକାଇ ଏତେ ସରି, କରୁଛି ଯାହା ହରି

 

କାଲି ପାରିବ ସଖୀ ମୁଖ ଚାହିଁ କି

। ୩ ।

ଡମ୍ବରୁମଧ୍ୟା ଯେବେ, ମାନିନୀ ହେବ ତେବେ

 

ଜଗଦ୍ଦେବ ପାରିବ ସମଝାଇ କି

। ୪ ।

 

(୧୩) ଡାକିମଧ୍ୟା-ଡମ୍ବରୁ ମଝି ଭଳି ସରୁ କଟୀବିଶିଷ୍ଟା ରାଧା ।

Image

 

(୧୪)

 

ରାଧା

 

ରାଗ-କେଦାର-ତ୍ରିପଟା

 

 

 

ଢାଳେ ଜୀବନ ନେବ ସ୍ମର ହଟିଲା ରେ

। ଘୋଷା ।

ଢକ୍‍କା ବାଜିବ ଟି ବ୍ରଜେ, ଅସତୀ ବୋଲି ସହଜେ

 

ପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ

। ୧ ।

ଢୋକିବାକୁ ବିଷ ଚିତ୍ତ, ହେଉଛି ରେ ପ୍ରାଣମିତ

 

ଦେଖ ଅରବିନ୍ଦ ଜଳେ ଫୁଟିଲା ରେ

। ୨ ।

ଢାଳିଦେଇ ମୋର ମୋଦ, ନୀର ଘଟକୁ ବିପଦ

 

ମହାଭୟପ୍ରଦ ହୋଇ ଘୋଟିଲା ରେ

। ୩ ।

ଢଳ ପଡ଼ିବି ଏଥର, ଭାଷେ ଜଗଦ୍ଦେବ ଗିର

 

ଶଠ ପଣ କରି ଶ୍ୟାମ ଜୁଟିଲା ରେ

। ୪ ।

 

(୧୪) ଢାଳେ-ସହଜରେ ବା ଅବଲୀଳା କ୍ରମେ । ମୋଦନୀର-ଆନନ୍ଦଜଳ ।

Image

 

(୧୫)

 

ରାଧାଙ୍କ ପ୍ରତୀ ସଖୀ

 

ରାଗ-କେଦାର-ରୂପକତାଳ

 

 

 

ଆଜି ରାଜି ରାସେ କର ରେ

। ଘୋଷା ।

ଅତସୀ ଶ୍ୟାମ, ହେଉ ସକାମ

 

ପିଇ ତୋ ଚାରୁ ବିମ୍ବାଧର ରେ

। ୧ ।

ଅନଙ୍ଗାହତେ, ପ୍ରିୟ ହୃଦାନ୍ତେ

 

ଖେଳୁ ତୋ ମଣିମୟ ହାର ରେ

। ୨ ।

ଆନନ୍ଦଭର, କରୁ କାନ୍ତର

 

ତୋ ଘନ ପୀନ ପୟୋଧର ରେ

। ୩ ।

ଆରେ କିଶୋରୀ, ହେଉ ସେ ହରି

 

ତୋ ମୁଖଚନ୍ଦ୍ର ଚକୋର ରେ

। ୪ ।

ଅତି ହରଷେ, ଭାବାତିବଶେ

 

ଭାଇଷ ଜଗଦ୍ଦେବ ଗିର ରେ

। ୫ ।

 

(୧୫) ଅନଙ୍ଗାହତେ-ରତିକ୍ରୀଡ଼ାରେ ।

Image

 

(୧୬)

 

ଶ୍ରୀକୃଷ୍ଣଙ୍କପ୍ରତି ସଖୀ

 

ରାଗ-ଝିଂଝୋଟି-ଆଦିତାଳ

 

 

 

ତମାଳ ନୀଳତନୁ

 

ତାପ ନ ଯାଏ ମୋ ସଖୀ ମନୁଁ ହେ

। ଘୋଷା ।

ତରଣୀଜାତଟ ବନୁ ତୁମ୍ଭଙ୍କୁ ଶ୍ରୀହରି

 

ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ

। ୧ ।

ତରଳ ନୟନୁ ତେଜୁଅଛି ନିରନ୍ତରେ

 

ନୀରଧାର ବରଷିଲା ପରି ଘନୁ

। ୨ ।

ତୀକ୍ଷଣ ବାଣ ଅତନୁ ତାମରସମୁଖୀ-

 

ମରମକୁ ଯୋଖି ବିନ୍ଧେ ଫୁଲଧନୁ

। ୩ ।

ତାପ ଦିଅ ହିମଭାନୁ ତନୁରେ ଫୋଟକା-

 

ହେଉଅଛି ଏକା ଘନସାର ବିଲେପନୁ

। ୪ ।

ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ

 

ତା’ର ପ୍ରାଣ ଯିବ ଶ୍ରୀଅଙ୍ଗଟି ହେଲା ତନୁ

। ୫ ।

 

(୧୬) ତରଣୀଜାତଟ-ଯମୁନାକୂଳ । ତାମରସମୁଖୀ-ପଦ୍ମମୁଖୀ । ହିମଭାନୁ-ଚନ୍ଦ୍ର ।

Image

 

(୧୭)

 

ସଖୀ ପ୍ରତି ଶ୍ରୀକୃଷ୍ଣ

 

ରାଗ-ତୋଡ଼ି-ଆଠତାଳି

 

 

 

ଥିଲେ ଅପରାଧ ମୋର,

 

ଥରେ କ୍ଷମା ନ କରିବ କି ସେ ରାମାବର

। ଘୋଷା ।

ଥଳ କମଳ ବିଜୟୀ ଚରଣେ ମୁଁ ତା’ର

 

ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର

। ୧ ।

ଥିବି ଖଟି ପାଶେ ତା’ର ମରଜିକି ଜାଣି

 

କଲେ ଅନୁକମ୍ପା ମୋରେ ସୁରସିକାମଣି

। ୨ ।

ଥାଉ ବା ନ ଥାଉ ମୋହୋଠାରେ ତା’ କରୁଣା

 

ମୋ ମନରେ ଭାବିଛି ତ ମୁଁ ତାହାର କିଣା

। ୩ ।

ଥିର ଗମନାକୁ ମୋର ହୃଦୟେ ହାର-

 

କରିବାକୁ ସହଚରୀ ଉପାୟ ବିଚାର

। ୪ ।

ଥାଏ ଯା’ ମୋଠାରେ ସଖି ଚିତ୍ତେ ଦୟା ତୋର

 

କହିବାକୁ ଅଛି କିସ ଜଗଦ୍ଦେବଙ୍କର

। ୫ ।

 

(୧୭) ଲାକ୍ଷା-ଅଳତା ।

Image

 

(୧୮)

 

ଶ୍ରୀକୃଷ୍ଣ

 

ରାଗ-ପୂରବୀ-ଏକତାଳି

 

 

 

ଦୟା ନ କଲେହେଁ ଦାରୁଣ ହୃଦୟେ ସେହି

 

ଯେତେ ଯେତେ ଦୁଃଖ ପୂର୍ଣ୍ଣଚନ୍ଦ୍ର ମୁଖ ପାଶରୋବି ସଖି କେହି

। ଘୋଷା ।

ଦଳିତ ଅଞ୍ଜନ-ଗଞ୍ଜନକେଶୀକି ଜଗି ନିତି ତା’ ମରଜି

 

ଦୟିନୀ କରି ମୁଁ କେତେ ଆୟାସରେ କରାଇଥିଲିଟି ରାଜି

। ୧ ।

ଦ୍ୟୁମଣିତନୟା ତଟର ନିକଟ ନିକୁଞ୍ଜ ସଙ୍କେତ କରି

 

ଦର ବିକଶିତ ଅରବିନ୍ଦ ହେବାଯାଏ ଜଗିଲା କିଶୋରୀ

। ୨ ।

ଦେଇ ବିସୋରି କହିବା ଗିର କେଉଁ କିଶୋରୀ ସଙ୍ଗତେ ରସି

 

ଦୋଷ ବିନା ଦୁଃଖୀ କରାଇ ମୋ ସଖୀ ଦିବ୍ୟବେଶ କରେ ବାସି

। ୩ ।

ଦିଶୁ ନାହିଁ ମୋତେ ଉପାୟ କିଞ୍ଚିତେ ଶ୍ରୀହରିଚନ୍ଦନ ଭାଷେ

 

ଦୁଃଖ ସହଚରୀ ଚିତ୍ତେ ଅଛି ପୂରି ନ କହିବି ତାର ପାଶେ

। ୪ ।

 

(୧୮) ଦ୍ୟୁମଣିତନୟା-ସୂର୍ଯ୍ୟକନ୍ୟା ଯମୁନା । ବିସୋରି-ପାସୋରି ।

Image

 

(୧୯)

 

ସଖୀ ପ୍ରତି ଶ୍ରୀକୃଷ୍ଣ

 

ରାଗ-ବଙ୍ଗଳାଶ୍ରୀ-ଏକତାଳି

 

 

 

ଧରଣୀ-ମଣ୍ଡନାକୁ ତୁ କହ ସହଚରୀ ଗୋ

 

ଧୀରା ମୋଠାରେ ନିରାଶ ନ କରିବା ପରି ଗୋ

। ଘୋଷା ।

ଧଇଲେ ହେଲେହେଁ କଣ୍ଠତଟରେ ଜୀବିତ ଗୋ

 

ଚିର ତୃଷାତୁରେ ସେ ଅସ୍ଥିର କରି ଚିତ୍ତ ଗୋ

 

ଧରାଧର ଅଭିନବ ଉଦକ

 

ଧାରା ପାନ ବୀହିନରେ ଚାତକ

 

ଧରା ସରିଲେ କି ହୁଏ ଉତ୍ସୁକ–

 

ବିଚକ୍ଷଣୀ କି ନ କରେ ବିବେକ ଗୋ

। ୧ ।

ଧର କି ବିନା ଇନ୍ଦୁ କୁମୁଦ ଆନନ୍ଦ ଗୋ

 

ପ୍ରଭାକର ବିନା ବିକାଶେ କି ଅରବିନ୍ଦ ଗୋ,

 

ବରହୀ କି ନବ ଉଦୟ ଘନ

 

ବିହୀନେ ନଚାଇ ପାରେ କି ଆନ

 

ସେପରିରେ ସେ କିଶୋରି ରତନ-

 

ବିହୀନେ ଆନେ ରସେ କି ମୋ ମନ ଗୋ

। ୨ ।

ଧରାଶୋଭିନୀ ମୋଠାରୁ ତେଜିଲେ କୃପାକୁ ଗୋ

 

ଧରି ପାରିବି ପିଣ୍ଡେ ପରାଣ କି

 

ପ୍ରତି ଆଶା କରି ଶଶ ଶଶୀକି

 

ତେଜିବାର ଯିବ ଆଜ ସରିକି,

 

ବହି ତାକୁ ବିଧୁ ଦେଲା କଳଙ୍କି

 

ନ ଭାବେ କି ସେ ତ ଅଟେ ବିବେକୀ ଗୋ

। ୩ ।

ଧରାରେ ତା’ ସମ ନାହିଁ ବିଚକ୍ଷଣା ପଣେ ଗୋ

 

କିଁପା ମୋରେ ମାନ କରିଅଛି ଅକାରଣେ ଗୋ

 

ନବଘନେ ବିଦ୍ୟୁଲତା ସଦୃଶେ,

 

ବିଳସ ମୋ ଅଙ୍ଗେ ଅତି ହରଷେ

 

ଦେଖ ବସନ୍ତ ଶୋଭା ପରାକଶେ

 

ସପ୍ରେମରେ ହରିଚନ୍ଦନ ଭାଷେ

। ୪ ।

 

(୧୯) ଧରାଧର-ପର୍ବତ । ଉଦକ-ଜଳ । ବରହୀ-ମୟୂର । ଶଶ-ଶଶା, ଶଶୀକି-ଚନ୍ଦ୍ରକୁ ।

Image

 

(୨୦)

 

ସଖୀ ପ୍ରତି ଶ୍ରୀକୃଷ୍ଣ

 

ରାଗ-ପିଲୁ-ଝମ୍ପା

 

 

 

ନାହିଁ ନ କର ନୀରଜ ମୁଖୀ ରେ

। ଘୋଷା ।

ନ ପାରି ମୁଁ ପାଶୋରି, ନିରତେ ସେ କିଶୋରୀ-

 

ମୂରତୀ ନେତ୍ରେ ଅଛି ରଖି ରେ

। ୧ ।

ନବ ନାଗରୀ ମୋର, ନୋହିଲେ ହୃଦେ ହାର

 

ଦେବି ମୁଁ ଜୀବନ ଉପେକ୍ଷି ରେ

। ୨ ।

ନିର୍ଦ୍ଦୟ ପାପ ସ୍ମର, ସିନ୍ଧି ବିନ୍ଧଇ ଶର

 

ନିରତେ ମରମକୁ ଜୋଖି ରେ

। ୩ ।

ନବୀନା ରେ ବିନୟ, -କରି ଏବେ ହୃଦୟ

 

ଆଣିଦିଅ ତୋ ପ୍ରିୟସଖୀ ରେ

। ୪ ।

ନାହିଁ ତ ମୋର ଆନ, ନାଗରୀ ରସେ ମନ

 

ଏଥକୁ ଜଗଦ୍ଦେବ ସାକ୍ଷୀ ରେ

। ୫ ।

 

(୨୦) ନୀରଜମୁଖୀ-ପଦ୍ମମୁଖୀ । ଉପେକ୍ଷି-ତ୍ୟାଗ କରି ।

Image

 

(୨୧)

 

ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ

 

ରାଗ-ବିଭାସ-ଏକତାଳି

 

 

 

ପ୍ରୀତି କରି କାହାପାଶେ ପୁହାଇଲ ନିଶା ତୋଷେ

। ଘୋଷା ।

ପରିଣତ ବିମ୍ବ ଅଧରେ କାହାର ରଦନ କ୍ଷତ ବିକାଶେ

 

ପଲ୍ଲବ-ବିଜୟୀ-କର କାହା କୁଚ କୁଙ୍କୁମେ ଅଙ୍କିତ ଦିଶେ

। ୧ ।

ପଡ଼ି କା’ ଚରଣେ ଶିଖଣ୍ଡ ମୁକୁଟ ରଙ୍ଗ କଲ ଲାକ୍ଷା ରସେ

 

ପରିରମ୍ଭ କଲ କାହାର ବଳୟ-ଚିହ୍ନ ଦିଶେ ବେନିପାଶେ

। ୨ ।

ପାଲଟ କରି କେଉଁ ସହଚରୀର ଚିତ୍ତକୁ ସମ୍ଭ୍ରମେ ବାସେ

 

ପିନ୍ଧିଅଛ ନିଜ କଟିତଟେ ଆଜ ଚାହଁ କି ସୁନ୍ଦର ଦିଶେ

। ୩ ।

ପାନବୋଳ ଗଣ୍ଡେ, ଲଲାଟେ ସିନ୍ଦୂର ଲାଗି ତ ଅଛି ବିଶେଷେ

 

ପରୁଆ ନ କର ଚିତ୍ତରେ ତୁମ୍ଭର ଜନାପବାଦକୁ ଲେଶେ

। ୪ ।

ପ୍ରତି ଅଙ୍ଗ ଯାକ କି ଶୋଭା ଦିଶଇ କରଜ-କ୍ଷତ ବିଳାସେ

 

ପ୍ରେମଭରେ ହରିଚନ୍ଦନ ଭାବଇ ସେ ରୂପ ନିଜ ମାନସେ

। ୫ ।

 

(୨୧) ରଦନ-ଦନ୍ତ । ପରିମ୍ଭର-ଆଲିଙ୍ଗନ । ବଳୟ-ବଳା । ପରୁଆ-ଖାତିର ବା ଭୟ ।

Image

 

(୨୨)

 

ସଖୀପ୍ରତି ଶ୍ରୀକୃଷ୍ଣ

 

ରାଗ-ନଟ-ଏକତାଳି

 

 

 

ଫୁଲଶରେ ନ ଯା’ ମୋତେ ସୁକୁମାରୀ ମାରି ରେ

। ଘୋଷା ।

ଫେଡ଼ି କହୁଛି ମୁଁ ସତେ, ଘେନ ମୋ ବିନୟ ଚିତ୍ତେ

 

ବଚନେ ନ ପାରି ତୋତେ, ରହିଲି ମୁଁ ହାରି ରେ

। ୧ ।

ଫିଟାଇ ସଜନୀ ମାନ-ଗ୍ରନ୍ଥିକି ରାମାରତନ

 

ମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧରି ରେ

। ୨ ।

ଫନ୍ଦା କରିଛି ମୁଁ ତୋତେ, ନାହିଁ ତୋ ବିନା ଜଗତେ

 

ମୋତେ କାମ ପାରାବାରୁ, କରିବାକୁ ପାରିରେ

। ୩ ।

ଫୁଟାଇ ନ ଦେଇ ତମ,-ବାଣୀରେ ମୋର ମରମ

 

ଦେଖାଅ ସଖୀକି ବାରେ ଉପାୟ ବିଚାରି ରେ

। ୪ ।

ଫରମାସ ଆଜି ବେଶେ, ଶ୍ରୀ ହରିଚନ୍ଦନ ଭାଷେ

 

ଶରଣ କେ ଅଛି ମୋର ବିନା ରେ ମୋ ତୋହରି

। ୫ ।

 

(୨୨) ପାରାବାରୁ-ସମୁଦ୍ରରୁ । ତମବାଣୀରେ-ନିରାଶ କଥାରେ ।

Image

 

(୨୩)

 

ରାଧାଙ୍କ ପ୍ରତି ସଖୀ

 

ରାଗ-କଲ୍ୟାଣ-ଆଦିତାଳ

 

 

 

ବିମ୍ବାଧରୀ, ବସି କୁଞ୍ଜେ ଲୋଡ଼େ ତୋତେ ହରି

। ଘୋଷା ।

ବିଷପରି ମଣେ ଶ୍ରୀଅଙ୍ଗ ସୁବେଶ

 

ବିଷଧର ପରି ଛାଡ଼ଇ ନିଃଶ୍ୱାସ,

 

ବିଧୁ କିରଣରୁ ହୁଡ଼ୁଅଛି ତ୍ରାସ

 

ପ୍ରଭାକର ପ୍ରଭାପରି

। ୧ ।

ବଳି ପଡ଼ିଲାଣି ବିରହ ସନ୍ତାପ

 

ବିକଳେ ଭାବୁଛି ତୋହର ସ୍ୱରୂପ

 

ବରଜ ତା’ ଠାରେ କରିଥିବା କୋପ

 

ବାରେ କରୁଣାକୁ ଧରି

। ୨ ।

ବିଞ୍ଚି ଜାତୀ ଶେଯେ ସୁଧାକର ରଜ

 

ବାସନ୍ତୀକ ପୁଷ୍ପେ ମଣ୍ଡୁଁ କେଳିକୁଞ୍ଜ

 

ବିନ୍ଧୁଅଛି ତାକୁ ଶର ମନସିଜ

 

ବିଶେଷରେ କୋପ ଧରି

। ୩ ।

‘ବେଗେ ଆସ ଆସ ଆସ ରେ କିଶୋରି !

 

ବିହର ମୋ ସଙ୍ଗେ ବୃନ୍ଦାବନ ହେରି’

 

ବୋଲି ଡାକୁଅଛି ଶୁଣ ସୁକୁମାରୀ

 

ବଂଶୀ ତୋ ନାମକୁ ଧରି

। ୪ ।

ବୋଲେ ଜଗଦ୍ଦେବ ତେଜ ସଖି ମାନ

 

ବ୍ରଜକିଶୋର ତୋ ଚରଣ ମଣ୍ଡନ

 

ବାଜିବା ନୂପୁର ଶବଦକୁ କର୍ଣ୍ଣ-

 

ବେନି ଏକା ଅଛି ଡେରି

। ୫ ।

 

(୨୩) ବିଷଧର-ସାପ । ହୁଡ଼ୁଅଛି-ଭୁଲ୍ କରୁଛି । ତ୍ରାସ-ଭୟ । ବରଜ-ତ୍ୟାଗ କର । ଜାତୀ-ଜାଈ ଫୁଲ । ସୁଧାକର-ରଜ-କର୍ପୂର ଚୂର୍ଣ୍ଣ ।

Image

 

(୨୪)

 

ରାଧାଙ୍କପ୍ରତି ସଖୀ

 

ରାଗ-କେଦାର-ଝୂଲା

 

 

 

ଭୁଲନା ସଖି ତୁ ତା’ ଗିରେ

 

ଭଲ ନୁହେଁ ପ୍ରୀତି ଶ୍ୟାମ ସଙ୍ଗରେ

। ଘୋଷା ।

 

 

ଭ୍ରମିଗଲି ସିନା ସଜନୀ, କପଟ ବାଣୀ ସତିକରି ମଣି

 

କରୁ ପଛେ ବଂଶୀଧ୍ଵନି,

 

ନ କହି ସହି, ରହ ହୋଇ ତୁନି

। ୧ ।

 

 

ଭୀତି ନାହିଁ ମଦନଶରେ, ଆଉ କ୍ଷଣ-ଭାବକୁ ମୁଁ ନ ପାରେ

 

ବିଡ଼ିଲୁ ତ ତା’ ଚିତ୍ତ ବାରେ,

 

ରଖିଅଛି ହୃଦେ ବରି ମୁଁ ଗାରେ

। ୨ ।

 

 

ଭାବବଶେ ଯାହାର ପାଶେ, କାଲି ରହିଲା ସେ ବିସୋରି ବାସେ

 

ସଙ୍ଗେ ତାର ସୁରତ ରସେ

 

ମାତୁ ଯା’ ତୁ କହିଦିଅ ସରସେ

। ୩ ।

 

 

 

 

ଭୃଙ୍ଗପରି ଶ୍ୟାମ ସ୍ୱଭାବ, ନେବ କୁଳବଧୂଙ୍କର ସେ ଜୀବ

 

ନିଶ୍ଚୟ ମୋ କଥାକୁ ଭାବ

 

ଭଣେ ହରିଚନ୍ଦନ ଜଗଦ୍ଦେବ

। ୪ ।

 

 

(୨୪) କ୍ଷଣଭାବକୁ-ସୁଯୋଗକୁ । ଭୃଙ୍ଗ-ଭ୍ରମର ।

Image

 

(୨୫)

 

ରାଧାଙ୍କପ୍ରତି ସଖୀ

 

ରାଗ-କାମୋଦୀ-ଏକତାଳି

 

 

 

ମରଜିକି ଚାହିଁ ତୋର ନିଶ୍ଚେ ନାହିଁ କଲିଟି

। ଘୋଷା ।

ମଦନରୁ ମନୋହର-ଅଟେ ଶ୍ୟାମ କଳେବର

 

ଦେଖି ସଖି, ତୁ ଅବଶ୍ୟ ପଛେ ଯିବୁ ଭୁଲିଟି

। ୧ ।

ମାନ ନ ରହିବ ତୋର- ନାଚିବ ଯେବେ ତାହାର

 

ନାଗରୀଙ୍କ ଧୃତି ହର ଚାରୁ ଚିଲ୍ଲୀ-ବଲ୍ଲୀଟି

। ୨ ।

ମହା ଅବିବେକୀ ପରି-ତୋ ବୋଲରେ ନ ବିଚାରି

 

ସୁକୃତ ପ୍ରାପତ ନିଧି ପାଦେ ଫିଙ୍ଗି ଦେଲିଟି

। ୩ ।

ମାନେ କରିବୁ ନିଷେଧ-ପଛେ ନୋହିବ ସେ ବୋଧ

 

ଯେବେ ବୁଡ଼ିଲେ ତୁ କାମସିନ୍ଧୁରେ ମୁଁ ମଲିଟି

। ୪ ।

ମନମୋହନ ମନ୍ତର-ଭାଷେ ଜଗଦ୍ଦେବ ଗିର

 

ତା’ ର ଲୀଳାରେ ଡୋଳାକୁ ଖେଳାଇ ମୁଁ ଦେଲିଟି

। ୫ ।

 

(୨୫) ଚିଲ୍ଲିବଲ୍ଲୀ-ଭୂରୁ ଲତା। ଡୋଳାକୁ ଖେଳାଇ-ଭଲ ରୂପେ ଦେଖି।

Image

 

(୨୬)

 

ଶ୍ରୀକୃଷ୍ଣଙ୍କପ୍ରତି ସଖୀ

 

ରାଗ-କାମୋଦୀ-ଆଠତାଳି

 

 

 

ଯଥାର୍ଥ କରି ଶ୍ୟାମ କହୁଛି ହେ,

 

ଜେମାର ଅଙ୍ଗୀକାର ନୋହୁଛି ହେ

। ଘୋଷା ।

ଯାମକୁ ଯାମ ତାମରସ-ନେତ୍ରାକୁ କାମ

 

ବିନ୍ଧି ମରମେ ଶର ମୋହୁଛି ହେ।

 

ତେମନ୍ତେ ହେଲେ ଯାହା କରିଅଛି ସୁଦେହା-

 

ଚିତ୍ତେ ନିବିଡ଼େ ଶଙ୍କା ରହିଛି ହେ

। ୧ ।

ଯତ୍ନ କଲେ ନ ରହି ନିରତେ ପ୍ରିୟସହୀ-

 

ନୟନୁ ଅଶ୍ରୁଧାରା ବହୁଛି ହେ

 

ଯାବକ ଚିତ୍ର ଚାରୁ ଚରଣ ପଙ୍କଜରୁ

 

ପଡ଼ିବା ପ୍ରବାହରେ ଧୋଉଛି ହେ

। ୨ ।

ଯାବତ ସୁବିନୟ କହିଲେ ସୁଁ ସଦୟ

 

ନ କରି ତୁନି ହୋଇ ରହିଛି ହେ

 

ନବ ନଳିନୀ ଦଳେ ପହଡ଼ିଛି ବିକଳେ

 

ନିଃଶ୍ୱାସ ମାତ୍ର ତାର ବହୁଛି ହେ

। ୩ ।

ଯାମିନୀଶ, ବସନ୍ତ, ମଧୁପ, ପରଭୃତ

 

ରୁତଜାତ ସନ୍ତାପ ସହୁଛି ହେ

 

ନବ ପଲ୍ଲବ କରେ ଅବିରତେ ଶୋକରେ

 

ଚାରୁ ଖଣ୍ଡମଣ୍ଡଳ ବହୁଛି ହେ

। ୪ ।

ଯାତନା ଦେଇ କୁମ୍ଭଜିତ-ସ୍ତନାକୁ ତୁମ୍ଭ

 

ବିରହ ହୁତବହ ଦହୁଛି ହେ

 

ଜଗଦ୍ଦେବ ଭାଷଇ ତାର ସହାୟ ହୋଇ

 

ମଳୟ ଗନ୍ଧବହ ବହୁଛି ହେ

। ୫ ।

 

(୨୬) ଯଥାର୍ଥେ କରି-ନିଶ୍ଚିତ ଭାବେ । ଯାମକୁ ଯାମ-ଘଡ଼ିକୁ ଘଡ଼ି । ନିରତେ-ସବୁବେଳେ । ଯାବକ-ଅଳତା । ଯାମିନୀଶ-ଚନ୍ଦ୍ର । ପରଭୃତ-କୋଇଲି । ରୁତ-କାକଳି । ହୁତବହ-ଅଗ୍ନି ।

Image

 

(୨୭)

 

ଶ୍ରୀକୃଷ୍ଣଙ୍କପ୍ରତି ସଖୀ

 

ରାଗ-ସ୍ମରଠ-ଝୁଲା

 

 

 

ରାଜି ନ କଲା ଆଜି ରମଣୀବର

 

ଏଣିକି ତୁମ୍ଭେ ତୁମ୍ଭ ଉପାୟ କର

। ଘୋଷା ।

ରୋଷ ତା’ ମନୁ ଯେବେ ପାରିବ ହରି

 

ଗମନ କର ଯହିଁ ଅଛି କିଶୋରୀ

। ୧ ।

ରାଧାର ମନେ ଅଛି ଦୁର୍ଜୟ ମାନ

 

ପାରିଲେ ନାଶ, କହି ଚାଟୁ ବଚନ

। ୨ ।

ରସିକା ଆମ୍ଭ ବାଣୀ ସତ ନ ଘେନେ

 

ଲଭିଛି ଯେଉଁ ତାପ ରଖିଛି ମନେ

। ୩ ।

ରାମା ତୁମ୍ଭର ପୂର୍ଣ୍ଣଚନ୍ଦ୍ର ବଦନ

 

ଦେଖିଲେ ଅବା ମନୁ ତେଜିବ ମାନ

। ୪ ।

ରାଣକୁ ମୋର ହେଲେ ପ୍ରାଣ ସଙ୍ଗାତ

 

ଭଣଇ ଜଗଦ୍ଦେବ ନ କଲା ସତ

। ୫ ।

 

(୨୭) ତାପ-ଦୁଃଖ । ରାଣକୁ-ଶପଥକୁ ।

Image

 

(୨୮)

 

ରାଧାଙ୍କପ୍ରତି ଶ୍ରୀକୃଷ୍ଣ

 

ରାଗ-ବିହାଗ-ଝୁଲା

 

 

 

ଲାବଣ୍ୟବତୀ ଲାଜ ଧରୁ ଆଜ ମତିରେ

। ଘୋଷା ।

ଲଳିତ-ଅଧରା ଲେଖୁ ନଖେ ଧରା

 

ଶରଦ ଚନ୍ଦ୍ରମା ମୁଖ ପୋତି ରେ

। ୧ ।

ଲେଖିବା ବିନୟ କଲୁ କି ହୃଦୟ

 

ନବୀନା ତୋ ବିନା କେ ମୋ ଗତିରେ

। ୨ ।

ଲାଖ କରି ମାର ହୃଦୟକୁ ଶର

 

ବିନ୍ଧେ ଅତି କୋପେ ରତିପତି ରେ

। ୩ ।

ଲତା ରମ୍ୟକୁଞ୍ଜ ମଣ୍ଡ ପଦକୁଞ୍ଜ

 

ଖଞ୍ଜନାକ୍ଷୀ ଘେନ ମୋ ବିନତିରେ

। ୪ ।

ଲିଭାଅ ବିରହ ଜାତ ହୁତବହ

 

ଜଗଦ୍ଦେବ କହେ ଭାରତୀରେ

। ୫ ।

 

(୨୮) ରତିପତି-କନ୍ଦର୍ପ । ଭାରତୀ-ବିନୟ ଭକ୍ତି ।

Image

 

(୨୯)

 

ରାଧାଙ୍କପ୍ରତି ଶ୍ରୀକୃଷ୍ଣ

 

ରାଗ-ତୋଡ଼ି-ନିଃସାରୂ ତାଳ

 

 

 

ବନ୍ଧୁ ମୋ ହୃଦୟ ହାରା-ବନ୍ଧୁକ ଚାରୁ ଅଧରା

 

ବିଅର୍ଥେ ନ କର ମାନ-ବିକାଶୁ ଚନ୍ଦ୍ରବଦନ

। ଘୋଷା ।

ବହଇ ମଳୟାନିଳ-ବିରହୀ ହୃଦ ଆକୁଳ

 

କରନ୍ତି ଅତି କୋମଳ-ଧ୍ଵନିରେ କୋକିଳକୁଳ

 

କିରଣରେ ଧରାତଳ-କରି କେଡ଼େ ସୁମଞ୍ଜୁଳ

 

ଗଗନେ ହୋଇ ନିର୍ମଳ-ଉଦୟ ଚନ୍ଦ୍ରମଣ୍ଡଳ

। ୧ ।

ବନଜନୟନେ ବନ-ରଖି ରମଣୀ ରତନ

 

କର ପଲ୍ଲବେ ବଦନ-କମଳ କରି ଧିଆନ

 

ନ କହୁ ମୋତେ ବଚନ-ଅଧର ସ୍ମିତ-ବିହୀନ

 

ଆଜ ତ ଏଡ଼େ ବିମନ-କିପାଁ ରେ ଜୀବଜୀବନ

। ୨ ।

ବନ୍ଧୁ, ତୋ ଗୁମାନ ଆଜି-ଦେଖି ଧନୁର୍ଗୁଣ ମାଜି

 

ମରମକୁ ଖୋଜି ଖୋଜି-ବିନ୍ଧେ ସ୍ମର ଶରରାଜି

 

ମୋ ହୃଦରେ ଆଣ୍ଟେ ବାଜି-ଯିବା ସକାଶରୁ ମଜ୍ଜି-

 

ଗଲାଣି ମୋ ଧୃତି ହଜି-ନୋହୁଛି ତୁ କିପାଁ ରାଜି

। ୩ ।

ବଦନ ଚାରୁ ଅମ୍ବୁଜ-କର ତୁ ପ୍ରସନ୍ନ ଆଜ

 

ଦେଖି ପୂର୍ଣ୍ଣ ଦ୍ୱିଜରାଜ-ପାଉ ଅତିଶୟ ଲାଜ

 

ମୋଠାରୁ ଗୁମାନ ତେଜ-ଆଭରଣେ ତନୁ ସାଜ

 

ମୋର ଅଙ୍କରେ ବିରାଜ-ଭଣେ ବସୁଦୁର୍ଗ ରାଜ

। ୪ ।

 

(୨୯) ବନ୍ଧୁକ-ବଧୁଲି ଫୁଲ । ବନଜ ନୟନେ-ପଦ୍ମନେତ୍ରରେ । ବନ-ଲୋତକ । ଅମ୍ବୁଜ-ପଦ୍ମ । ଦ୍ୱିଜରାଜ-ଚନ୍ଦ୍ର । ବସୁଦୁର୍ଗ-ଆଠଗଡ଼ ।

Image

 

(୩୦)

 

ସଖୀ ପ୍ରତି ରାଧା

 

ରାଗ-ବାହାର-ଏକତାଳି

 

 

 

ଶ୍ୟାମଳ ତନୁକୁ ପଚାର ରେ ସଖି

। ଘୋଷା ।

ସ୍ନେହ ଯେବେ ଥିଲା ଆନେ କିପାଁ ଆଉ ମୋତେ ଗୋ,

 

କରାଉଥିଲେ ସେ ଅଭିସାର ଗୋ

। ୧ ।

ସଙ୍କେତ କରାଇ ସତେ କେଉଁ ରସିକାକୁ ଗୋ,

 

କଲେ କଣ୍ଠେ ତପନୀୟ ହାର ଗୋ

। ୨ ।

ଶତ ଶପଥରେ ମୋତେ କରାଇଲେ ରାଜି ଗୋ,

 

କଲେ କିଁପା ଏତେ ନାରଖାର ଗୋ

। ୩ ।

ସହଜେ ଅବଳା ମୁହିଁ ରଜନୀରେ ବନେ ଗୋ

 

କେ କରନ୍ତା ମୋତେ ପ୍ରତିକାର ଗୋ

। ୪ ।

ସପ୍ରେମରେ ଜଗଦ୍ଦେବ ଭାଷେ ବିନା ଦୋଷେ ଗୋ

 

କରାଇଲେ ଉର ଚିରହାର ଗୋ

। ୫ ।

 

(୩୦) ଶ୍ୟାମଳ ତନୁ-ଶ୍ରୀକୃଷ୍ଣ । ତପନୀୟ-ସୁନା । ଉର-ବକ୍ଷେଦେଶ ।

Image

 

(୩୧)

 

ରାଧାଙ୍କପ୍ରତି ଶ୍ରୀକୃଷ୍ଣ

 

ରାଗ-ଶାବେରୀ-ଝୁଲା

 

 

 

ସୁକୁମାରୀ ନୃପତିକୁମାରି।

 

ନ ଯା’ ମୋତେ ମାରି ରେ

। ଘୋଷା ।

ସୁର ମନୋହାରୀ-ମୋ ଅଙ୍କ ବିହାରି

 

ହୁଅ, ମନସିଜ-ରାଜ ଯାଉ ଆଜ ହାରି ରେ

। ୧ ।

ସୁଲଳିତ ବାରି,-ରୁହ ନେତ୍ରବାରି

 

ନିର୍ଝରକୁ ନ ଝରାଇ ଦିଅ ତୁ ନିବାରି ରେ

। ୨ ।

ସ୍ମରନଦୀ ପାରି, କରାଇ ଉଦ୍ଧାରି

 

ନ ନେଇ ତୁ ମୋତେ ରହୁ ଚିତ୍ତେ କି ବିଚାରି ରେ

। ୩ ।

ସିଞ୍ଚ କୃପାବାରି-ଶାୟକ ପ୍ରହାରି

 

ବୋଲେ ଜଗଦ୍ଦେବ ସ୍ମର ଦେହଟି ସଂହାରି ରେ

। ୪ ।

 

(୩୧) ମନସିଜ ରାଜ-କନ୍ଦର୍ପ ରାଜା । ସ୍ମରନଦୀ-କାମରୂପକ ନଦୀ । ଶାୟକ-ଶର ବା ବାଣ ।

Image

 

(୩୨)

 

ରାଧାଙ୍କ ପ୍ରତି ସଖୀ

 

ରାଗ-ମଙ୍ଗଳଗୁଜ୍ଜରୀ-ଆଦିତାଳ

 

 

 

ସଖି, ନ ବସ ଗୋ ତୁ ଗୁମାନେ

। ଘୋଷା ।

ଶୁଣି ଶ୍ୟାମ ତୋର ବାଣୀ-ପ୍ରଣକଣ୍ଠତଟେ ଆଣି

 

ରଖିଲା ପରି ରେ ଦିଶେ ଅନୁମାନେ

। ୧ ।

ଶରଦଚନ୍ଦ୍ରମା ମୁଖୀ-କର ତୁ ଶ୍ୟାମକୁ ସୁଖୀ

 

ଅଧର ମଧୁର ସୁଧା ରସପାନେ

। ୨ ।

ଶପତ କଲାଣି ବେଣୁ-ଛୁଇଁ ତ ନୀରଦତନୁ

 

ମନେ ହେଲେ ନ ରସିବି ବୋଲି ଆନେ

। ୩ ।

ସହି ରେ ତୁ ଦୟାବତୀ,-ବୋଲାଇ ନିଷ୍ଠୁର ଅତି-

 

ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ

। ୪ ।

ସହରଷେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ

 

କର କରୁଣାକୁ ଦିବ୍ୟ ଅବଧାନେ

। ୫ ।

 

(୩୨) ନୀରଦତନୁ-ଶ୍ରୀକୃଷ୍ଣ ।

Image

 

(୩୩)

 

ସଖୀ

 

ରାଗ-ରାମକିରୀ-ଏକତାଳି

 

 

 

ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ

। ଘୋଷା ।

ହେଲାନି ସଖୀର ହାସ-ବଦନଚନ୍ଦ୍ର ପ୍ରକାଶ

 

ତେଜିଲାଣି ଶ୍ୟାମରୋଷ

 

ଏଠାରୁ ଗୋ ଯିବ ଆସ

। ୧ ।

ହଟିଛି ମଦନରାଜ-ବିନ୍ଧି ଶାୟକସମାଜ

 

ନାଶିବାକୁ ସଖୀ ଲାଜ-କଲା କି ଗୋ ଧନୁସଜ

। ୨ ।

ହିମ ବିନା କମ୍ପେ ତନୁ- ସ୍ୱେଦ ସଖୀ ଅପଘନୁ

 

ବହଇ ସନ୍ତାପ ବିନୁ-ନ ସ୍ଫୁରେ ବାଣୀ ବଦନୁ

। ୩ ।

ହେବାରୁ ସ୍ମର ଆୟତ୍ତ-ହେଲେ ହେଁ ପ୍ରିୟ ସଙ୍ଗାତ

 

ଆମ୍ଭଙ୍କୁ ତେଜିବା ଚିତ୍ତ-କଲାନି ଗୋ ପ୍ରାଣମିତ

। ୪ ।

ହରଷରେ ରାମସୋମ-ଧରି ନିଜ ହୃଦେ ପ୍ରେମ

 

ଭାବିଲାନି ଘନଶ୍ୟାମ,-ପଦ ଅଷ୍ଟଦୁର୍ଗ ଧାମ

। ୫ ।

 

(୩୩) ସମାଜ-ସମୂହ । ସ୍ୱେଦ-ଝାଳ । ରାମସୋମ-ରାମଚନ୍ଦ୍ର ।

Image

 

(୩୪)

 

ରାଧାଙ୍କ ପ୍ରତି ସଖୀ

 

ରାଗ-ତୋଡ଼ି ଜଙ୍ଗଲା-ରୂପକ

 

 

 

କ୍ଷୀରୋଦବାସ କରିଛି ସବୁ ପ୍ରକାଶ ରେ ସଙ୍ଗନୀ

। ଘୋଷା ।

କ୍ଷମା ନ କଲୁ ତ ଆମ୍ଭ ବୋଲେ ଶ୍ୟାମ ଦୋଷ

 

ସେ ମାନ କତୁରୀ ଦେଲା କି ଚତୁରୀ

 

ତା’ ଭୂରୁ ଭଙ୍ଗୀ ବିଳାସ ରେ

। ୧ ।

କ୍ଷମ ନିକି ତୋତେ ଆମ୍ଭେ କରିବାକୁ ତୋଷ

 

ମୋହିଲା ତୋ ମନ ଛଡ଼ାଇ ଗୁମାନ

 

ମୋହନ ସୁମନ୍ଦ ହାସ ରେ

। ୨ ।

କ୍ଷୋଭ ନାହିଁ ଆମ୍ଭଙ୍କୁ ଯା ତେଜାଇଲୁ ପାଶ

 

ସଖି, ରଖି ତ ନ ପାରିଲୁ ଶ୍ରୀଅଙ୍ଗେ

 

ଚିର ସଙ୍ଗୀ ନୀଳ ବାସ ରେ

। ୩ ।

କ୍ଷୀଣୋଦରୀ, ଶ୍ୟାମକୁ କଲୁ କି ନିଜ ଦାସ

 

ପରବ ଚନ୍ଦ୍ର ଗରବ-ହର ମୁଖୀ

 

ଆରମ୍ଭି ତ ଥିଲୁ ରାସ ରେ

। ୪ ।

 

 

 

କ୍ଷୀର ରଖି ନୀର ଉପେକ୍ଷିଲା ପରି ହଂସ

 

ଭାଷେ ଜଗଦ୍ଦେବ ତୋ ଶ୍ରୀଅଙ୍ଗ ବନ୍ଧୁ

 

କଲା ଶ୍ୟାମ ରସ ଶେଷ ରେ

। ୫ ।

 

(୩୪) କ୍ଷୀରୋଦ ବାସ-ପାଟ ଲୁଗା । କତୁରୀ ଦେଲା-କାଟି ପକାଇଲା । ପରବଚନ୍ଦ୍ର-ପୂର୍ଣ୍ଣଚନ୍ଦ୍ର ।

Image